କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଆତ୍ମନିର୍ଭର ଭାରତର ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କିସ୍ ବିଶ୍ୱବିଦ୍ୟାଳ୍ୟର ପ୍ରଥମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ କହିଛନ୍ତି । ରବିବାର ଭର୍ଚୁ୍ୟଆଲ ମାଧ୍ୟମରେ ଅନୁଷ୍ଠିତ କିସ୍ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ରାଜ୍ୟପାଳ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଛନ୍ତି ଯେ, ଜନଜାତି ସଂପ୍ରଦାୟରେ ପ୍ରତିଭାର ଅଭାବ ନାହିଁ । ଭଲ ପରିବେଶ, ପ୍ରୋତ୍ସାହନ ଓ ସମୟଭିତିକ ପ୍ରଦର୍ଶନର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କୁ ଭୋକାଲ ଫର ଲୋକାଲ ପାଇଁ ଶପଥ ନେବା ସହ ଆତ୍ମନିର୍ଭର ଭାରତ ଗଠନରେ ସେମାନଙ୍କ ଯୋଗଦାନ ଓ ପ୍ରୟାସ ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି । କିସ୍ ଭଳି ଅନୁଷ୍ଠାନ ଗଢି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବାରୁ ରାଜ୍ୟପାଳ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା । କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ, କେନିଆ ସାଂସଦ ତଥା ମେଡିହିଲ ହସ୍ପିଟାଲ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ ସ୍ୱରୂପ ରଞ୍ଜନ ମିଶ୍ର ଓ ନୁ୍ୟୟର୍କରେ ରହୁଥିବା ଫ୍ୟାଶନ ଓ କଷ୍ଟୁ୍ୟମ ଡିଜାଇନର ବିଭୁ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡି.ଲିଟ୍ ପ୍ରଦାନ କରାଯାଇଥିଲା । କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଏହି ଅବସରରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଜନଜାତି ସଶକ୍ତିକରଣ ଇତିହାସରେ କିସ୍ ଏକ ମାଇଲଖୁଂଟ ବୋଲି କହିଥିଲେ । କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କିସ୍ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ କରିଥିବା ଟ୍ରାଇବାଲ ରିସୋର୍ସ ମ୍ୟାନେଜମେଂଟ ସ୍କୁଲର ୨୦୧୯ ବ୍ୟାଚ ଛାତ୍ରୀ ମଲହୋ ମାର୍ଡି ଓ ସ୍କୁଲ ଅଫ ଇଣ୍ଡିଜନଓ ନଲେଜ, ସାଇନ୍ସ ଓ ଟେକ୍ନୋଲଜିର ୨୦୨୦ ବ୍ୟାଚ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ୧୪ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ୧୪ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।