ରାଜ୍ୟ ବ୍ୟାପୀ ପାଳନ ହେବ ଓୟୁଏଟି ୬୦ତମ ପ୍ରତିଷ୍ଠା ଦିବସ.
Updated: Aug 24, 2021
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବଦ୍ୟାଳୟ ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ମଙ୍ଗଳବାର ଠାରୁ ଏକ ବର୍ଷ ବ୍ୟାପି ହୀରକ ଜୟନ୍ତୀ ବର୍ଷ ପାଳନ କରାଯିବାର ଯୋଜନା ରହିଛି । ଏହି ଉପଲକ୍ଷେ ବର୍ଷସାରା ବକ୍ତୃତାମାଳା, କୃଷକ ମେଳା, କୃଷି ଉଦ୍ୟୋଗୀ ସମାବେଶ, କୃଷି ପ୍ରଦର୍ଶନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ଡଃ ପୱନ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି । ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ, ଜୈବ ପ୍ରଯୁକ୍ତି ବିଭାଗ ସଚିବ ଡ.ରେଣୁ ସ୍ୱରୂପ, କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା ଓ ଓୟୁଏଟି କୁଳପତି ଡ.ପୱନ କୁମାର ଅଗ୍ରୱାଲ ଯୋଗଦେବେ । ତା’ସହିତ କୁହାଯାଇଥିଲା, ଏହି ଉପଲକ୍ଷେ ବର୍ଷସାରା ଭୁବନେଶ୍ୱର ଓ ଅନ୍ୟାନ୍ୟ କେନ୍ଦ୍ରମାନଙ୍କରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ରହିଛି । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନଙ୍କ ଦ୍ୱାରା ବକ୍ତୃତାମାଳା, କୃଷକ ସମାବେଶ ,ବିଶ୍ୱବିଦ୍ୟାଳୟରୁ ବିକଶିତ ଜ୍ଞାନକୌଶଳ ପ୍ରଦର୍ଶନ ପାଇଁ କୃଷି ପ୍ରଦର୍ଶନୀ , ଶିକ୍ଷକ-କୃଷି ଉଦ୍ୟୋଗୀ ଭାବ ବିନିମୟ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ-ଶିଳ୍ପ ଜଗତ ସହିତ ଭାବର ଆଦାନ ପ୍ରଦାନ, ହୀରକ ଜୟନ୍ତୀ ଭିତ୍ତିଭୂମି ବିକାଶ ପରି ଅନେକ କାର୍ଯ୍ୟକ୍ରମ ମାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କୃଷି ଯାନ୍ତ୍ରିକ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡିନ୍ ଡଃ ସଞ୍ଜୟ କୁମାର ଦାସ, ଗବେଷଣା ଅଧ୍ୟକ୍ଷ ସୀମାଞ୍ଚଳ ସାହୁ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦ ଗୋଟି କୃଷି ମହାବିଦ୍ୟାଳୟ, ଗୋଟିଏ ସ୍ନାତକୋତ୍ତର ଶିକ୍ଷା କେନ୍ଦ୍ର ଏବଂ ୧୦ ଗୋଟି ଆଗ୍ରୋପଲିଟେକନିକ କେନ୍ଦ୍ର ମାଧ୍ୟମରେ କୃଷି ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ପରି ଅନେକ ବିଷୟରେ ଉଚ୍ଚତ୍ତର ଶିକ୍ଷା ପ୍ରଦାନ କରାଯାଉଛି । ବିଶ୍ୱବିଦ୍ୟାଳୟରୁ ବିକଶିତ ଜ୍ଞାନକୌଶଳ, ବିହନ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀକୁ ଠିକ୍ ମାନ ବଜାୟ ରଖି ସୁଲଭ ମୂଲ୍ୟରେ ଓ ଉପଯୁକ୍ତ ସମୟରେ କୃଷକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓୟୁଏଟି କଳିଙ୍ଗ ବ୍ରାଣ୍ଡ ଆରମ୍ଭ କରାଯିବା ପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଆଲୋଚନା ହୋଇଥିଲା ।