୬୦ ଦିନ ପରେ ସମୁଦ୍ରକୁ ଗଲେ ମତ୍ସ୍ୟଜୀବି
କେନ୍ଦ୍ରାପଡା, ଜୁନ ୧୬ (ଲୋକାଲ ୱାୟାର): ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ଜାରି ୬୦ ଦିନିଆ ମାଛଧରା ନିଷେଧାଦେଶ ଉଠିବା ପରେ ବହୁ ମତ୍ସ୍ୟଜୀବି ସମୁଦ୍ରରେ ପ୍ରବେଶ କରିଛନ୍ତି ।
ଏହି ସମୟରେ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା, ଟ୍ରଲର ଆଦି ସମୁଦ୍ରରେ ପ୍ରବେଶ କରିନଥାଏ ।
କେବଳ ଦେଶୀ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛ ଧରା ଯାଇପାରିବ । ପ୍ରଜନନ ଋତୁରେ ମାଛ ପ୍ରଜାତିଗୁଡିକର ସଂରକ୍ଷଣ ପାଇଁ ସରକାର ଏହି ନିଷେଧାଦେଶ ଜାରି କରିଥାନ୍ତି ।

ଏହି ନିଷେଧାଦେଶ ଯୋଗୁଁ ମାଆ ମାଛ ସହିତ ଜାଆଁଳଗୁଡିକ ମଧ୍ୟ ବଂଚି ପାରୁଛନ୍ତି ।
ଫଳରେ ମାଛ ବଂଶ ବୃଦ୍ଧି ପାଉଛି ବୋଲି ଅତିରିକ୍ତ ନିଦେ୍ର୍ଦଶକ, ମତ୍ସ୍ୟ (ସାମୁଦ୍ରିକ), କୁଜଙ୍ଗ ମାନସ ରଞ୍ଜନ ସାହୁ କହିଛନ୍ତି ।
୧୯୯୮ରୁ ଏହି ନିଷେଧାଦେଶ ଜାରି ହୋଇ ଆସୁଛି । ମାଛଧରା ନିଷେଧ ଥିବା ବେଳେ ମତ୍ସ୍ୟଜୀବିମାନେ ଡଙ୍ଗା ମରାମତି, ଜାଲ ବୁଣା ଆଦି ଆନୁଷଙ୍ଗିକ କାମରେ ବ୍ୟସ୍ତ ରହିଥାନ୍ତି ।
ମାଛ ଧରା ଋତୁ ଆରମ୍ଭ ହୋଇ ଯାଇଥିବାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀମାନେ ମଧ୍ୟ ସେମାନଙ୍କ ଅଫିସ ଓ ସଂଗ୍ରହ କେନ୍ଦ୍ର ଖୋଲିଛନ୍ତି ବୋଲି କହିଚନ୍ତି ବତୀଘର ଗାଁର ମତ୍ସ୍ୟଜୀବି ପ୍ରମୋଦ ଅଧିକାରୀ ।
ଦୁଇ ମାସ ମାଛଧରା ନିଷେଧ ନିଷ୍ପତି ବେଶ ସଫଳ ହୋଇଛି ବୋଲି କହିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ସୁମନ୍ତ ବିଶ୍ୱାଳ ।
ମାଛ ଧରା ନିଷେଧ ଥିବାରୁ ରାଜ୍ୟରେ ମାଛ ଦର ଆକାଶଛୁଆଁ ଥିଲା । ହେଲେ ଆଉ କିଛି ଦିନ ମଧ୍ୟରେ ସ୍ଥାନୀୟ ବଜାରରେ ମାଛ ଦର କମିବ ବୋଲି କେନ୍ଦ୍ରାପଡାର ମାଛ ବିକ୍ରେତା ଭରତ ମଣ୍ଡଳ କହିଛନ୍ତି ।
ତେବେ ଏହି ନିଷେଧାଦେଶ ବେଳେ ଓଡିଶା ବାହାରର ମାଛ ଧରା ଟ୍ରଲରଗୁଡିକ ମାଛ ଧରୁଥିବାରୁ ସ୍ଥାନୀୟ ମତ୍ସ୍ୟଜୀବି ସେତେ ଲାଭାନ୍ୱିତ ହେଉନାହାନ୍ତି ।
ସେମାନେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ଅଧିକ ମାଛ ଧରୁଛନ୍ତି । ତେଣୁ ବାହାର ରାଜ୍ୟର ମତ୍ସ୍ୟଜୀବିଙ୍କ ଗତିବିଧି ଉପରେ ଅଙ୍କୁଶ ଲାଗିବା ଉଚିତ ବୋଲି ଓଡିଶା ପାରମ୍ପରିକ ମତ୍ସ୍ୟ କର୍ମଚାରୀ ସଂଘର ସଭାପତି ପ୍ରସନ୍ନ ବେହେରା କହିଛନ୍ତି ।